ମୁଁ ଆଉ ଆଗ ଭଳି ଲେଖୁନି !! ମୁଁ ଆଉ ଆଗ ଭଳି ଲେଖୁନି ଅସଜଡା ଶବ୍ଦ ମାନେ ଅସମର୍ଥ ମୋ ଭାବାବେଗକୁ ପ୍ରକାଶ କରିବାରେ ଖୁବ୍ କୋଳାହଳ ପୂର୍ଣ୍ଣ - ମୋ ଭାବନାର ଇଲାକା ସବୁ ପ୍ରୟାସ ପରେ ବି ଭାଗଶେଷରେ ରହିଯାଏ ଏକ ଅଛିଣ୍ଡା ଅଙ୍କ ହଁ ! ତୁମେ ତ' ଥିଲ ମୋର ପ୍ରଥମ ଶ୍ରୋତା ବହୁ ଉତ୍କଣ୍ଠାର ସହ ଶୁଣ ମୋ ସାମ୍ନାରେ ବସି ମୁଁ ଦେଖିପାରେ , ଅତି ଚମତ୍କାର ଭାବେ ଜୀବନ୍ତ ହେଇ ଉଠନ୍ତି ନିରସ ନିର୍ଜୀବ କବିତା ସବୁ ତୁମରି ଝଲ୍-ମଲ୍ ଆଖିରେ କିନ୍ତୁ, ମୋତେ ଭାରି ଇର୍ଷା ଲାଗେ ତୁମେ ବୋଧେ ଭଲପାଅ ମୋ କବିତା ମାନଙ୍କୁ - ମୋ ଠାରୁ ଅଧିକ ହସିହସି ଛିଗୁଲାଅ ବିଭିନ୍ନ ଆଳରେ ମୋର ସବୁ ମିଛ ଅଭିମାନ ମିଳେଇ ଯାଏ ଏକ ସ୍ମିତହାସ୍ୟରେ ମୁଁ ଆଉ ଆଗ ଭଳି ଲେଖୁନି... ତୁମେ ଥିଲ କେଉଁଠି ନା କେଉଁଠି ମୋ ପ୍ରତ୍ୟେକ ଟି ରଚନାର କେନ୍ଦ୍ରବିନ୍ଦୁ ପ୍ରେରଣା ତୁମଠୁ ଓ ଗଢଣରେ ତୁମରି ଛାପ କଲମରୁ ଝରୁଥିଲା ମନମୁଗ୍ଧକର ଶବ୍ଦ ଝଂକାର ପ୍ଳାବିତ କରୁଥିଲା ଡାଏରୀର ପୃଷ୍ଠାଗୁଡ଼ିକୁ ହଁ ! ଅତି ନିର୍ଲଜ ଭାବେ ମୁଁ ସ୍ୱୀକାର କରେ, ତୁମେ ଥିଲ ମୋର କବିତା ଆଢ଼ୁଆଳେ ଖୁବ୍ ସନ୍ତର୍ପଣର ସହ ଏକ ଅନନ୍ୟ ଛନ୍ଦ ଅଳଂକାର ରୂପ ନେଇ ଯାହା ପାଠକଙ୍କୁ ଛୁଏଁ କାହିଁକି ନୀରବ ହୋଇଗଲ? ଏବେ ମୁଁ ବି ଚୁପ୍ ମୋ କଲମ ବି ଚୁପ୍ ଯେତେ ଆଦରେ ଡାକିଲେ ବି, ଅଝଟ ଶବ୍ଦ ମାନେ ଚାଲି ଯାଆନ୍ତି ମୁହଁ ମୋଡ଼ି ...
Comments
Post a Comment