The Ghat is waiting: ତୁଠ ଚାହିଁ ଥାଏ!!
ତୁଠ ଚାହିଁ ଥାଏ !!
ଗାଧୁଆ ତୁଠ ପଥର ଉପରେ
ପାଦକୁ ତୁ ମାଜୁ ଯେବେ
ଶାନ୍ତ ନୀଳ କଇଁ ବିରକ୍ତ ହୁଏ
ରୁଣୁ ଝୁଣୁ ତୋ ପାଉଁଜି ଶବଦେ
ତୁ ବୋଧେ ତାର - ପ୍ରେମିକ ଭଅଁର
ତା ପାଖୁ ନେଉ ଦୂରେଇ
କୁହୁକିନି ତୋ ଆମାନିଆ ଲାଜେ
ସରିତ ଦେହେ ତରଙ୍ଗ ଯାଏ ଭରି
ଅତି ଆଲାଯୁକି ସାଙ୍ଗ ସାଥି ମେଳେ
ବିଭୋର ଯଉବନ ରଙ୍ଗେ
କେତେ ବ୍ୟଙ୍ଗ କରେ ତୋ କାନ ଝୁମୁକା
ହଂସ ଯୁଗଳଙ୍କ ସଙ୍ଗେ
ଗୋଲାପ ଦୁଧିଆ ଦେହରେ ତୋର
ହଳଦୀ ମାଖି ଯେବେ ପାଣିକୁ ଯାଉ
ଫୁଲେଇ ପଳାଶର ଟାହି ଟାପରା
କେମିତି ତୁ ଯେ ସହୁ ?
ବୁଢ଼ା କଇଁଆ ଅନନ୍ତ ଯୁଗରୁ
ପ୍ରଶାଖା ଦେଇଛି ମେଲି
ଗୋଧୂଳି ଲଗ୍ନର ସେ ନୀରବ ସାକ୍ଷୀ
ଗାଁ ଭୁଆସୁଣୀ ଙ୍କ ଲାଜ ରଖେ
ତୁ ଓଦା ଲୁଗା ଯେବେ ତା ପଛେ ବଦଳୁ
ସେ ଚଗଲା ନିମକୁ - ଦୁରେଇ ରଖେ
ତୁ ଗାଧୋଇ ଫେରିବା ଉତ୍ତାରେ -ଯେବେ ସନ୍ଧ୍ୟା ଛୁଇଁ ଯାଏ ଗାଁ
ଶଶୀ କିରଣରେ କଇଁ ଦିଏ ହସି
ନିଷ୍ପାପ ଶିଶୁ ଓଠେ ଚୁମା ଦେଉଥାଏ ମା
ଅଳଙ୍କାର ପିନ୍ଧି ସରିତ ଝଲସେ - ଖଦ୍ୟୋତ ରସୋଣୀ ଆଲୋକେ
ତୁଠ ଚାହିଁଥାଏ ସିନ୍ଦୁରା ଫଟାକୁ ତୋ ଫେରା ବାଟକୁ ଆହା...
**************************************
Painting Credit
Artist - Tanvir Ahmed Khan
Category - Painting
Painting Type -Watercolour art
**************************************

Comments
Post a Comment