ମଜାକ୍ - Witticism
କେତେ ସହଜରେ କହିହୁଏ ମୁଁ ଯାହା କହିଲି, ସବୁ ମଜାକ୍ ଥିଲା ଖୁବ୍ ଛୋଟ ସ୍ମିତହାସ୍ୟର ଆଢ଼ୁଆଳେ ହେଲେ ଗୁଡ୍ ନାଇଟ୍ କହି ଫୋନ୍ କାଟିଲା ପରେ ମୁଁ ଶୋଇ ପାରେନି, କରି ଶତଚେଷ୍ଟା ତୁ କହିଥିବା ପ୍ରତ୍ୟେକଟି ଶବ୍ଦ କଳଙ୍କଠୁ ଅଧିକ ଭାରି ଲାଗନ୍ତି ମୋ ନିଃଶ୍ବାସର ଗତିରେ ଆସେ ଶିଥୀଳତା ଯେମିତି ଅଟକି ଯିବେ ମୃତ୍ୟୁର ପ୍ଲାଟଫର୍ମରେ ଲୁଚି ଲୁଚି, ମୋତେ ନଜଣାଇ ଘଣ୍ଟା-ଘଣ୍ଟା ପଡି ରୁହେ ବେଡ଼ରେ ଶବପ୍ରାୟେ ଛାତରେ ଝୁଲୁଝିବା ପଂଖାକୁ ଅନାଇ କେତେ ସହଜରେ..... ଆଶ୍ଚର୍ଯ୍ୟ ! ତୁ କେମିତି ଶୋଇଯାଉ ଆଚିନ୍ତା ନିଦରେ, ସକାଳ 9.30 କ୍ଲାସର ବାହାନା ଦେଇ, ଏକ ଶକ୍ତ ଧକ୍କାରେ ଠେଲିଦେଉ ମୋତେ; ତୋ ଚିନ୍ତା, ଚେତନା ଏବଂ ସ୍ୱପ୍ନର ପରିସୀମା ବାହାରକୁ ତୋ-ମୋ ଭିତରେ ଦୂରତା କେବଳ ୧୫୧୭ କି.ମି. ହେଲେ, ତୋ ଶବ୍ଦ ମାନେ ଫିଙ୍ଗି ଦେଇ ଆସନ୍ତି ତୋଠୁ ଅସଂଖ୍ୟ ଆଲୋକ-ବର୍ଷ ଦୂରରେ ଯେଉଁଠି କେବଳ ପୂରି ରହିଥାଏ ଶୂନ୍ୟସ୍ଥାନ ମୁଁ ମୋ ଅସ୍ଥିତ୍ୱ ହରାଇ ଘୂରିବୁଲେ ଯେମିତି ଘୂରିବୁଲନ୍ତି ଉତପ୍ତ ନକ୍ଷତ୍ର ଉଲ୍କା ହୋଇ ଝରି ପଡିବା ଅପେକ୍ଷାରେ କେତେ ସହଜରେ ...... ସକାଳୁ ଲୁହଭିଜା ଆଖିରେ ହାଲକା ଜମାଟ ବାନ୍ଧିଥିବା ନିଦ, ଭାଙ୍ଗେ ତୋ ଗୁଡ୍-ମର୍ଣିଂଗ୍ ଫୋନ୍ କଲ୍ ଢାଳୁୁ ଅଯାଚିତ ଭଲପାଇବା ଦରକାରଠୁ ଅଧିକ ମଧୁଭିଜା ଚୁମ୍ବନ ବର୍ଷା ଡାୟାବେଟିସ୍ ରେ ଆକ୍ରାନ୍ତ ହେଲାଭଲି ମିଶ୍ରି ପରି ସ୍ନେହଭରା କଥା ତୋ ଟୋନ୍ ରେ ଥାଏ, ସମ୍ମୋହନ କଲାପରି ଏକ...